Header Ads

Header ADS

ପବିତ୍ର ରକ୍ତ

🔴#MenstrualHygieneDay 🔴 #ପବିତ୍ର_ରକ୍ତ

ଯଦି ନାରୀର ଋତୁସ୍ରାବ ଅପବିତ୍ର , ପୁରୁଷର ବୀର୍ଯ୍ୟପାତ ଅପବିତ୍ର ନୁହେଁ କି ???? ଏସବୁ ଅବାନ୍ତର ଛୁଆଁ ଅଛୁଆଁ ନିୟମ କେବଳ ନାରୀ ପାଇଁ କାହିଁକି ? ମାସିକ ଋତୁସ୍ରାବ ବିଷୟରେ କେବଳ ମାଆ ହିଁ ଝିଅକୁ କାହିଁକି ବୁଝାଏ ? ବାପା କାହିଁକି ନୁହେଁ ?? 

ଯଦି ହରମୋନ୍ ପ୍ରଭାବରେ ପୁରୁଷ ର ଦାଢି ନିଶ ବଢିବା ସ୍ବାଭାବିକ , ତାହାହେଲେ ନାରୀର ରଜସ୍ରାବ ରେ ଆଶ୍ଚର୍ଯ୍ୟଜନକ କଥା ବା କଣ ?? ଯେଉଁଠାରେ ଦେହ ପାଇଁ କ୍ଷତିକାରକ ମଦ ସିଗାରେଟ୍ ଆଦି ଖୋଲାରେ ବିକ୍ରି ହୁଏ , ସେଠାରେ ସ୍ବାସ୍ଥ୍ୟ ପାଇଁ ଉପଯୋଗୀ ସାନିଟାରୀ ପ୍ୟାଡ୍ କଳାଜରି ବା ଖବରକାଗଜ ରେ ଗୁଡା ହୋଇ ବିକ୍ରି ହୁଏ କାହିଁକି ? ଏତେ ଲଜ୍ଜା କାହିଁକି ? 

ଋତୁସ୍ରାବ ଭଳି ଏକ ସାଧାରଣ ଶାରୀରିକ ପ୍ରକ୍ରିୟା ପାଇଁ ଗୋଟିଏ ନାରୀ କୁ ଅଲଗା ରଖିବା , ଅଛୁଆଁ ଭଳି ବ୍ୟବହାର କରିବା , ମନ୍ଦିର ଓ ରୋଷେଇ ଘରେ ପ୍ରବେଶ କରିବାକୁ ନ ଦେବା ! ଏଭଳି ମାନସିକ ନିର୍ଯ୍ୟାତନା ଦେବାକୁ ଆମେ କିଏ ????? ଆମକୁ ଅଧିକାର ଦେଲା କିଏ????? 

ଲେଖକ ଶ୍ରୀ ଭଗବାନ ପ୍ରକାଶ ଙ୍କ ଭାଷାରେ " ପୁରୁଷ ରକ୍ତପାତ କରେ ମୃତ୍ୟୁ ପାଇଁ , କିନ୍ତୁ ନାରୀର ରକ୍ତପାତ ହୁଏ ନୂଆ ଜୀବନ ସୃଷ୍ଟି ପାଇଁ । ବରଂ ଋତୁସ୍ରାବ ଦ୍ବାରା ନାରୀର ଶରୀର ପବିତ୍ର ହୁଏ ,ଏଣୁ ଶାସ୍ତ୍ର ରେ ଲେଖାଯାଇଛି :- "ରଜସା ଶୁଦ୍ଧ୍ୟତେ ନାରୀ" । 

କାହିଁକି ଏ ନିଚ୍ଛକ ସତ୍ୟ ସର୍ବଦା ରହସ୍ୟାବୃତ ? ଋତୁସ୍ରାବ ଈଶ୍ବରଙ୍କ ଆଶୀର୍ବାଦ , ଏକ ସ୍ବାଭାବିକ ଶାରୀରିକ ପ୍ରକ୍ରିୟା , ଏକ ନିର୍ଦ୍ଦିଷ୍ଟ ବୟସର ମାସିକ ଧର୍ମ ।

ଏହାଦ୍ବାରା ମହିଳାମାନଙ୍କର ମା' ହେବା ପାଇଁ ପ୍ରସ୍ତୁତି ପ୍ରକ୍ରିୟା ଆରମ୍ଭ ହୋଇଥାଏ । ପ୍ରାୟ ଦଶବର୍ଷ ଅତିକ୍ରମ କରିବା ପରେ ପ୍ରତ୍ୟେକ ବାଳିକା ଙ୍କ ରଜସ୍ରାବ ହୋଇଥାଏ । ଏହି ପ୍ରକ୍ରିୟା ମାଧ୍ୟମରେ ପ୍ରକୃତି ନାରୀ ଶରୀରକୁ ଯୌନସଂପର୍କ ଓ ଗର୍ଭଧାରଣ ପାଇଁ ପ୍ରସ୍ତୁତ କରିଥାଏ। 

ପ୍ରାୟ ପଚାଶ ବର୍ଷ ପରେ ପ୍ରାକୃତିକ ଋତୁବିରତି ଘଟେ । ପ୍ରତ୍ୟେକ ମହିଳା ଏହି ସମୟ ଦେଇ ଗତିକରିଥାନ୍ତି ( ଆମ ମାଆ ଭଉଣୀ ସମସ୍ତେ ) । ଏଣୁ ଏଥିରେ ଲଜ୍ଜିତ ହେବାର କୌଣସି କାରଣ ନାହିଁ l

କିନ୍ତୁ ଅନେକ ସ୍ଥାନରେ ରଜସ୍ରାବ ବେଳେ ମହିଳାଙ୍କୁ ଅନ୍ଧାର ଘରେ ରଖାଯାଏ ଯେପରି ତାଙ୍କ ଉପରେ ପୁରୁଷଙ୍କ ଦୃଷ୍ଟି ନ ପଡେ ।
ମନ୍ଦିର ମନା , ସ୍କୁଲ ମନା , ରୋଷେଇ ଘର ମନା , କାହାକୁ ଛୁଇଁବା ମନା । ସେ ଯାହାକୁ ଛୁଅଁନ୍ତି ସେମାନେ ମାରା ହୋଇଯାଆନ୍ତି । ଏହାଠାରୁ ବଳି ଦୁର୍ଭାଗ୍ୟଜନକ ଅନ୍ଧବିଶ୍ବାସ ଆଉ କଣ ବା ଥାଇପାରେ ???

ଆଫ୍ରିକା ର ଅନେକ ଅଂଚଳରେ ରଜସ୍ରାବ ସମୟରେ ଶରୀର ରୁ ନିର୍ଗତ ରକ୍ତବିନ୍ଦୁକୁ ଅତି ପବିତ୍ର ମନେ କରାଯାଏ । ଏହା ପୁରୁଷ ଙ୍କୁ ପବିତ୍ର କରିଥାଏ ବୋଲି ବିଶ୍ବାସ । 

ପ୍ରାଚୀନ କାଳରେ ରୋମାନ୍ ମାନେ ଭାବୁଥିଲେ ଯେ ଜଣେ ଉଲଗ୍ନ ଋତୁବତୀ ଠାରେ ପ୍ରାକୃତିକ ବିପର୍ଯ୍ୟୟ ଠାରୁ ରକ୍ଷା କରିବାର ଶକ୍ତି ଅଛି l ଶିଖ୍ ଧର୍ମ କୁହେ ଶରୀର ନା ପବିତ୍ର ହୁଏ ନା ଅପବିତ୍ର । ମନ ପବିତ୍ର ଥିଲେ ସବୁ ପବିତ୍ର । "

ଦୁର୍ଭାଗ୍ୟ ର ବିଷୟ ଯେଉଁ ସଚେତନତା ସୃଷ୍ଟି ପାଇଁ "ପ୍ୟାଡମ୍ୟାନ୍" ଚଳଚ୍ଚିତ୍ର ନିର୍ମିତ ହୋଇଥିଲା , ତାହା ଫଳବତୀ ହେଲା ନାହିଁ ।

ଆଜି ନିଷ୍ପତ୍ତି ଆମ ହାତରେ । ବୈଜ୍ଞାନିକ ମନୋବୃତ୍ତି ରଖି ଗଠନମୁଖୀ ଜନକଲ୍ୟାଣକାରୀ ପରିବର୍ତ୍ତନ କୁ ଗ୍ରହଣ କରିବା ନା ମୂର୍ଖ ଅଶିକ୍ଷିତ ଙ୍କ ପରି ଅନ୍ଧବିଶ୍ବାସକୁ ଜାବୁଡି ଧରିବା !!!!

ଭଗବାନ୍ ବିଶ୍ବାସ ପସନ୍ଦ କରନ୍ତି , ଅନ୍ଧଵିଶ୍ବାସ ନୁହେଁ । ଭଗବାନ ବିଜ୍ଞାନମୟ l ଅଜ୍ଞାନତା ପାଇଁ ଈଶ୍ବର ଙ୍କ ପାଖରେ କୌଣସି ସ୍ଥାନ ନାହିଁ l ଆଉ ଆଜି ନ ହେଲେ ବି କାଲି ଏ ପରିବର୍ତ୍ତନ ହେବ ନିଶ୍ଚୟ l ସାଵରୀମାଳା ମନ୍ଦିର ଭଳି l ଆଉ ଆଜିର ଯୁବପିଢି ବିଶେଷ କରି ପୁରୁଷ ହିଁ ସାଜିବେ ଏ ପରିବର୍ତ୍ତନ ର ମୁଖ୍ୟ ସୂତ୍ରଧର l

ପୁରୁଷ ହୋଇ ବି ଅନେକ ଲୋକ ନାରୀମାନଙ୍କ ସ୍ବାସ୍ଥ୍ୟ ସ୍ବଚ୍ଛତା ଓ ଅଧିକାର ପାଇଁ ସ୍ବର ଉତ୍ତୋଳନ କରୁଛନ୍ତି , କିନ୍ତୁ ଯଦି ମହିଳାମାନେ ନିଜେ ଏ ବିଷୟରେ ସଚେତନ ନ ହେବେ , ତେବେ ପ୍ରଗତିର ଆଶା କ୍ଷୀଣ l 

ରକ୍ଷଣଶୀଳ ଚିନ୍ତାଧାରା ରେ ବିଶ୍ବାସ କରନ୍ତୁ ନାହିଁ, ହୃଦୟକୁ ବିଶାଳ କରନ୍ତୁ , ପ୍ରଗତିଶୀଳ ନୂତନ ଚିନ୍ତାଧାରା କୁ ଆପଣାନ୍ତୁ , ଦେଖିବେ ଅନେକ ଅନ୍ଧବିଶ୍ବାସ ଓ କୁସଂସ୍କାର ଦୂରେଇଯିବ । ଦିନଥିଲା ସତୀଦାହ ପ୍ରଥା ଭଳି ଘୃଣ୍ୟ ନିୟମ କୁ ବି ଲୋକେ ପରମ୍ପରା କହି ସମର୍ଥନ କରୁଥିଲେ , କିନ୍ତୁ ରାଜା ରାମମୋହନ ରାୟ ଯଦି ସ୍ବର ଉତ୍ତୋଳନ କରି ନଥାନ୍ତେ ଆଜି ବି ଅନେକ ଝିଅ ଅନାୟାସରେ ଅଗ୍ନିରେ ବିସର୍ଜନ ହେଉଥାନ୍ତେ ।

 ଏଣୁ ବୈଜ୍ଞାନିକ ମନୋବୃତ୍ତି ରଖି ନାରୀ କୁ କଷ୍ଟ ସମୟରେ ସାହାଯ୍ୟ କରିବା l ମନୋଭାବ ଦୃଢ କରିବା ବାପା ଭାଇ ହିସାବରେ l ଏହା ହିଁ ଅସଲି ପୁରୁଷତ୍ବ l ପୁରୁଷପ୍ରଧାନ ସମାଜ ଲେଖିଥିବା ସବୁ ନିୟମ ବେଦର ଗାର ନୁହେଁ ।

ଜଣେ ଅନ୍ୟ ଜଣକୁ ନ କହି ପ୍ରତି ଘରୁ ଆରମ୍ଭ ହେଉ ଅଭିଯାନ । ନିଜ ଘରେ ମାଆ ଭଉଣୀ ବାପା ଭାଇ ଏ ବିଷୟରେ ମୁକ୍ତ ରେ ଆଲୋଚନା କରନ୍ତୁ ଏବଂ ସ୍ବାସ୍ଥ୍ୟ ପ୍ରତି ଯତ୍ନବାନ୍ ହୁଅନ୍ତୁ । ଋତୁସ୍ରାବ ସମୟରେ ନାରୀ ଅନୁଭବ କରୁଥିବା ଅସହ୍ୟ ଯନ୍ତ୍ରଣା ଓ କଷ୍ଟ ସମୟରେ ମାନସିକ ସ୍ତର ରେ ତାଙ୍କୁ ଘର ର ପୁରୁଷମାନେ ସାହସ ଦିଅନ୍ତୁ । 

#STOP_WHISPERING
#SAY_FREE
#MENSTRUATION_IS_NOT_A_TABOO

( ଚିନ୍ତାଧାରା ବଦଳାନ୍ତୁ , ଦେଶ ବଦଳିବ )

No comments

Powered by Blogger.